ବିଶ୍ଵ ବିଜୟୀ ଦକ୍ଷତାରେ ଓଡ଼ିଶା, ବିଶ୍ଵ ସର୍ବୋତ୍ତମ

ପ୍ରବାହରେ ପ୍ରଗତି

09 ନଭେମ୍ବର 2017
ଶେୟାର କରନ୍ତୁ :

୨୦୧୪ ମସିହାରେ ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ସେମାନଙ୍କର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ହେବା ପାଇଁ ମୋତେ ନିମନ୍ତ୍ରଣ କରିଥିଲେ। ମୋ ପାଇଁ ବେଶ୍ ସମ୍ମାନର କଥା, କିନ୍ତୁ ମୁଁ ଭାବି ହେଇଥିଲି କିଛି ଦିନ ସବୁ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବମାନଙ୍କରେ ଏହିଭଳି ବହୁ ମୁଖ୍ୟ ଅତିଥି ଆସନ୍ତି ସେମାନଙ୍କର ପ୍ରେରଣାଦାୟକ ବକ୍ତବ୍ୟ ରଖି ଫେରିଯାଆନ୍ତି କିନ୍ତୁ ଛାତ୍ରଛାତ୍ରୀମାନେ କେତେଟା ଶୁଣନ୍ତି? କେତେ ପ୍ରଭାବିତ ହୁଅନ୍ତି? ମୁଁ କଲେଜ ଅଫ୍ ଇଂଞ୍ଜିନିୟରିଙ୍ଗର ଡିନ୍ କ୍ୟାମି ଆବର୍ନାଥିଙ୍କୁ କହିଲି ଯେ ସମାବର୍ତ୍ତନ ଉତ୍ସବରେ ନିଜ ମନରୁ କିଛି ନ କହି ଛାତ୍ରଛାତ୍ରୀମାନେ କଣ ଜାଣିବାକୁ ଚାହୁଁଛନ୍ତି, ମୁଁ ସେ ବିଷୟ ନେଇ ମୋ ବକ୍ତବ୍ୟ ରଖିବାକୁ ଚାହୁଁଛି ମୋର ଏଭଳି ପ୍ରସ୍ତାବରେ ଡିନ୍ ଆବର୍ନାଥି ପ୍ରଥମେ ବିସ୍ମିତ ହେଲେ, ପରେ ଆନନ୍ଦର ସହିତ ଏକମତ ହେଲେ।

ନୂଆ ୱେବସାଇଟଟି ତିଆରି ହେଲା ନୂତନ ସ୍ନାତକମାନଙ୍କୁ ଇମେଲ୍ ଦ୍ୱାରା ଜଣେଇ ଦିଆଗଲା ଯେ ସେମାନେ ସେମାନଙ୍କର ଆଗାମୀ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥିଙ୍କ ଠାରୁ ଯେଉଁ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଛନ୍ତି, ସେ ସବୁ ପ୍ରଶ୍ନକୁ ଏ ୱେବସାଇଟରେ ପୋଷ୍ଟ୍ କରିପାରିବେ। ଏଭଳି ଅଭିନବ ମେଲ୍ ପାଇଁ ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ ନିଶ୍ଚୟ। ସେଥିପାଇଁ ପ୍ରଥମେ ମାତ୍ର ଗୋଟିଏ ଦୁଇଟି ପ୍ରଶ୍ନ ଆସିଲା ତାପରେ ଆରମ୍ଭ ହୋଇଗଲା ପ୍ରଶ୍ନର ବନ୍ୟା। ସେସବୁ ଅନୁଧ୍ୟାନ କରିବା ପରେ ମୋର ମନେ ହେଲା ଯେ ଅଧିକାଂଶ ସ୍ନାତକଙ୍କ ମନରେ ଭବିଷ୍ୟତ ନେଇ ଅନେକ ପ୍ରକାରର ଦ୍ୱନ୍ଦ୍ୱ ରହିଛି। ଶିକ୍ଷାନୁଷ୍ଠାନର ସୁରକ୍ଷିତ ପୃଥିବୀ ବାହାରେ ପାଦ ଦେବାକୁ ଯିବା ବେଳେ ମନ ଭିତରେ ରହିଛି କିଛି ଆଶା, କିଛି ଆଶଙ୍କା, କିଛି ଭୟ, ପୁଣି କିଛି ଶୂନ୍ୟତା ଅଜଣା ପୃଥିବୀରେ ହଜିଯିବେ ନାହିଁ ତ ସେମାନେ ? ନୂଆ ଜୀବନ ଆରମ୍ଭ କରିବା ବେଳେ ପୁରୁଣା ଜୀବନକୁ କଣ ଜଳାଞ୍ଜଳି ଦେଇ ଦେବାକୁ ହେବ ? ତେବେ ସବୁଠାରୁ ବଡ ପ୍ରଶ୍ନ, ଜୀବନର ଏଇ ନୂତନ ଯାତ୍ରା ସେମାନଙ୍କୁ କେଉଁ ସ୍ଥାନକୁ ନେଇଯିବ ?

ଏଭଳି ଭାବନା, ଏଭଳି ଅନୁଭବ ନୂଆ ନୁହଁ। ଅନେକଙ୍କର ମନକୁ ଆସେ କଲେଜ ଛାଡ଼ିବା ବେଳେ ମୋର ମଧ୍ୟ ହୋଇଥିଲା। ପୁଣି ହୋଇଥିଲା ଯେତେବେଳେ ଅଠେଇଶ ବର୍ଷ ବୟସରେ ମୁଁ ମୋର ଭଲ ଚାକିରି ଛାଡ଼ି ନିଜ କମ୍ପାନି କରିବା ପାଇଁ ପାଦ ବଢେଇ ଦେଇଥିଲି। ସେ କମ୍ପାନି ବେଶି ଦିନ ଚାଲିଲା ନାହିଁ ମୁଁ ଫେରି ଆସିଥିଲି ଚାକିରି ଜଗତକୁ। ପୁଣି ଭଲ କମ୍ପାନିରେ ଭଲ ଚାକିରି ଅଥଚ ୧୯୯୯ରେ ସେ ଚାକିରିର ସୁରକ୍ଷିତ ପରିବେଶ ଛାଡି ମାଇଣ୍ଡ୍ ଟ୍ରି ଆରମ୍ଭ କରିବା କଥା ଚିନ୍ତା କଲି। ସେତେବେଳେ ମଧ୍ୟ ଏଭଳି ଭାବନା ମୋ ମନକୁ ଆସିଥିଲା ପାରିବି ? ହଜିଯିବି ନାହିଁ ତ ?

ଏବେ ଦୀର୍ଘ ଅଠର ବର୍ଷ ପରେ ଯେତେବେଳେ ମୁଁ ପଛକୁ ବୁଲି ଚାହେଁ, ଅଠର ବର୍ଷକୁ ଅନୁଧ୍ୟାନ କରେ, ମୋର ମନେ ହୁଏ ଏହି ସମୟଟା ଏକ ବକ୍ର ରେଖାରେ କେବଳ ଉପରକୁ, ଉପରକୁ ଉଠିଯାଇଛି। ଯେମିତି ବିନା ସଂଘର୍ଷର ସମୟ କେବଳ ହେଲେ ବାସ୍ତବରେ ତ ତା ନୁହଁ। ରାସ୍ତାରେ ଯେ ଅନେକ ରକମର ବାଧା, ଅନେକ ରକମର ପ୍ରତିବନ୍ଧ, ପୁଣି କିଛି କ୍ଳାନ୍ତି ଆସିଥିଲା କିନ୍ତୁ ଥରେ ରାସ୍ତା ଅତିକ୍ରମ କରିସାରିବା ପରେ ବାଧା, ପ୍ରତିବନ୍ଧର ଯନ୍ତ୍ରଣା ବହୁ ପରିମାଣରେ କମିଯାଇଛି, ପୋଛି ହୋଇଯାଇଛି କ୍ଳାନ୍ତି। ମୁଁ ପୁଣି କିଛି ଦିନ ଭାବି ହେଇଥିଲି।

ହଠାତ୍ ଦିନେ ମନକୁ ଆସିଲା, ଜୀବନର ଧାରା ଗୋଟିଏ ନଦୀ ଭଳି ତାହେଲେ ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ସ୍ନାତକମାନଙ୍କୁ ନଦୀର ଉଦାହରଣ ଦେଲେ କେମିତି ହେବ ? ହୁଏତ ସେଇ ମାଧ୍ୟମରେ ସେମାନଙ୍କ ମନ ତଳେ ଉଠିଥିବା ବହୁ ପ୍ରଶ୍ନର କିଛିଟା ଉତ୍ତର ମୁଁ ଦେଇ ପାରିବି। ମୁଁ ଆମାଜନ୍ ନଦୀର ଉତ୍ସରୁ ମୋ ବକ୍ତବ୍ୟ ଆରମ୍ଭ କରିଥିଲି।

ଦକ୍ଷିଣ ଆମେରିକାର ଆମାଜନ୍ ନଦୀକୁ କେହି କେହି କହନ୍ତି ପୃଥିବୀର ବୃହତ୍ତମ ଅନ୍ୟ କେତେକ କହନ୍ତି ନାଇଲ୍ ନଦୀ ପରେ ଏହାର  ସ୍ଥାନ ଦୀର୍ଘତା ଓ ଆୟତନରେ ପ୍ରଥମ ହେଉ କି ଦ୍ୱିତୀୟ, ଆମାଜନ୍ର ବିଶାଳତା ନେଇ କାହା ମନରେ କୌଣସି ଦ୍ୱନ୍ଦ୍ୱ ନାହିଁ ଅଥଚ ଏହି ବିଶାଳ ନଦୀଟିର ଆରମ୍ଭ ପେରୁର ଆଣ୍ଡିଜ୍ ପର୍ବତ ମାଳାରୁ ବାହାରି ଆସିଥିବା ବରଫାବୃତ କ୍ଷୀଣ ଝରଣାଟିଏରୁ ଠିକ୍ ଯେମିତି ଆମ ଦେଶର ଗଙ୍ଗା ନିଜର ଶ୍ରେଷ୍ଠତା ପ୍ରତିପାଦନ କରି କେତେ ସହର, କେତେ ରାଜ୍ୟ ଅତିକ୍ରମି ଗଙ୍ଗା ନଦୀ ସମୁଦ୍ରରେ ମିଶିଯାଇଛି। ଅଥଚ ଏହାର ଉତ୍ସ ମଧ୍ୟ କ୍ଷୁଦ୍ର ହିମ ସ୍ରୋତଟିଏ ଗଙ୍ଗୋତ୍ରୀ।

ଆଉ ଗୋଟିଏ ନଇର ଉଦାହରଣ ଦେଉଛି ଆମର ଅତି ନିଜର ମହାନଦୀ ଛତିଶଗଡର ସିହାଓ୍ୱା ସହରଠୁଁ ଅଳ୍ପ ଦୂରରେ ସମୁଦ୍ର ପତ୍ତନଠାରୁ ୪୪୨ ମିଟର ଉଚ୍ଚରେ ମହାନଦୀର ଉତ୍ସ। ଆରମ୍ଭରେ ସରୁ ଧାରାଟିଏ ମାତ୍ର ଧାରାଟି ଗତିଶୀଳ ହୁଏ ଆଖପାଖରେ ପର୍ବତମାଳା ସେଥିରୁ କେତେ ଝରଣା ବାହାରି ମିଶିଯାଆନ୍ତି ତା ସହିତ କ୍ରମଶଃ ଧାରା ହୁଏ ଛୋଟ ନଦୀ ଛୋଟ ନଦୀଟି ଆଗେଇଯିବା ବେଳେ ପୁଣି କେତେ ଶାଖା ନଦୀଙ୍କୁ କୋଳେଇ ନିଏ ସମସ୍ତଙ୍କୁ ନେଇ ମହାନଦୀ ହୁଏ ବିଶାଳ, ମହିମାମଣ୍ଡିତ ଅସଂଖ୍ୟ ଜନଜୀବନକୁ ବିକଶିତ କରି ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାବରେ ଦୀର୍ଘ ୮୫୮ କିଲୋମିଟର ଅତିକ୍ରମ କରି ସେ ମିଶିଯାଏ ବଙ୍ଗୋପସାଗରରେ। ବଙ୍ଗୋପସାଗର ମୁହାଣର ମହାନଦୀକୁ ଦେଖିଲେ ଜଣେ କେବେହେଲେ ଅନୁମାନ କରିପାରିବ ନାହିଁ ଯେ ନଦୀଟିର ଉତ୍ସ ସାମାନ୍ୟ ଧାରାଟିଏ ମାତ୍ର।

ଉତ୍ପତ୍ତି ବିନ୍ଦୁରେ ନଇଟିଏ କଣ ନିଜେ ଜାଣିଥାଏ ସେ କେଉଁ ରାସ୍ତା ଧରି ଆଗେଇ ଯିବ ? ରାସ୍ତାରେ କେତେ ବାଧା ଆସିବ, କିଭଳି ଧରଣର ବାଧା ଆସିବ, ତା ମଧ୍ୟ ତାକୁ ଜଣା ନ ଥାଏ କିନ୍ତୁ ସେ ବହି ଯାଏ ଆଗକୁ କ୍ଷୁଦ୍ର ପ୍ରବାହଟିଏ କେବଳ ରାସ୍ତାରେ ଅନ୍ୟାନ୍ୟ ଛୋଟ ନଇ ଏହା ସାଙ୍ଗରେ ମିଶିବା ପରେ ହିଁ ପ୍ରବାହଟିର ଆୟତନ ବଢ଼େ ନୂତନ ଶକ୍ତିର ସଞ୍ଚାର ହୁଏ ଖରସ୍ରୋତା ହୁଏ।  ନଦୀ ଏଭଳି ବହି ଯାଉ ଯାଉ ବେଳେବେଳେ ରାସ୍ତାରେ ଅଚାନକ ଭାବରେ ବିରାଟ ବାଧା ଆସେ। ହୁଏତ ସାମ୍ନାରେ ପାହାଡ଼ଟିଏ ନଦୀଟି କଣ କରେ? ସେ ପାହାଡ଼ ସାଙ୍ଗରେ ଯୁଦ୍ଧ କରେ ନାହିଁ କିଂବା ମୁହଁ ବୁଲାଇ ହତୋତ୍ସାହ ହୋଇ ନିଜର ଉତ୍ସକୁ ଫେରି ଆସେ ନାହିଁ ଶାନ୍ତ ଭାବରେ ପାହାଡ଼ କଡ଼ ଦେଇ ନିଜ ପାଇଁ ରାସ୍ତା କରି ନିଏ। ଆଗେଇ ଚାଲେ ଯାତ୍ରା ପୁଣି ହେଇଯାଏ ସୁନ୍ଦର।

କିଛି ବାଟ ଯିବା ପରେ ହୁଏତ ହଜିଯାଏ ଉପତ୍ୟକା ଆଗକୁ ରାସ୍ତା ନାହିଁ ଗଣ୍ଡଟିଏ କଣ କରେ ନଦୀ ? ସେଇଠି କଣ ଅଟକିଯାଏ ? ଭୟରେ କମ୍ପି ଉଠେ ? ଭାଗ୍ୟକୁ ନିନ୍ଦା କରେ ? ନା, ଏସବୁ କିଛି ନ କରି ନଦୀ ଏଥର ଅନ୍ୟ ରୂପ ଧାରଣ କରେ ନିଜ ଭିତରେ ଶକ୍ତି ଏକତ୍ର  କରି ଗଣ୍ଡ ଭିତରକୁ ଦମ୍ଭର ସହିତ ସେ ଡେଇଁପଡ଼େ। ସେଇ ପଡ଼ିବାରେ କ୍ରନ୍ଦନର ସ୍ବର ନ ଥାଏ, ଥାଏ କେବଳ ଜଳପ୍ରପାତର ଗର୍ଜନ ଜଳପ୍ରପାତକୁ ଦେଖି ବିଶ୍ୱବାସୀ ମୁଗ୍ଧ ହୁଅନ୍ତି। ଜଳପ୍ରପାତର ଚାରିପଟେ କୁହୁଡି ଲୁଚକାଳି ଖେଳେ। ସୂର୍ଯ୍ୟ କିରଣ ବିଞ୍ଚି ହୋଇଯାଏ ପାଣି ଉପରେ। ଇନ୍ଦ୍ରଧନୁ ମଝିରେ ମଝିରେ ମୁହଁ ଦେଖାଇ ହସିଦିଏ ପୁଣି ହଜିଯାଏ।

ନଦୀ ଏଥର ପହଞ୍ଚିଯାଏ ସମତଳ ଭୂଇଁରେ। ପୁଣି ବହି ଚାଲେ ଆଗକୁ। ନଦୀ କୂଳରେ ଜନ ବସତି ଆରମ୍ଭ ହୁଏ କେତେ ଜୀବନ ନାଟକ ଅଭିନୀତ ହୋଇଯାଏ। କେତେ ସଭ୍ୟତା ମୁଣ୍ଡ ଟେକେ ନଦୀର ଲକ୍ଷ୍ୟ କିନ୍ତୁ ସ୍ଥିର ସେ ଆଗେଇ ଚାଲେ ଏମିତି ଯାଉ ଯାଉ ଦିନେ ସେ ମିଶିଯାଏ ସାଗରରେ।

ନଦୀଟି ଯଦି କଥା କହି ପାରୁଥାଆନ୍ତା, ତାହେଲେ ନୂଆ ପୃଥିବୀରେ ପାଦ ଦେଉଥିବା ମଣିଷମାନଙ୍କୁ କଣ କହନ୍ତା ? ହୁଏତ କହନ୍ତା- ମନରେ ଭୟ ଅଛି ? ଆଶଙ୍କା ଅଛି ? ଥାଉ କିଛିଟା ଆତ୍ମସଂଶୟ ରହିଲେ କିଛି କ୍ଷତି ନାହିଁ କିନ୍ତୁ ନିଜର ଆଗାମୀ ଦିନର ପରିଚୟକୁ ସ୍ବାଭାବିକ ଭାବରେ ବିକଶିତ ହେବାକୁ ଦିଅ। ଯେଉଁଠି ପରିବର୍ତ୍ତନର ସ୍ପର୍ଶ, ସେଠି ଅନିଶ୍ଚିତତା ରହିବ ନିଶ୍ଚୟ କିନ୍ତୁ ସେ ଅନିଶ୍ଚିତତା ପାଦକୁ ନିଥର କରି ନ ଦେଉ। ଉନ୍ନତିର ପଥରେ ବାଧା ସୃଷ୍ଟି ନ କରୁ ବୋହିଯିବାରେ ହିଁ ଜୀବନର ପ୍ରଗତି।

ନଦୀ ହୁଏତ ଏକଥା ମଧ୍ୟ କହନ୍ତା- କେବଳ ଆବେଗ ଦ୍ୱାରା ପ୍ରଭାବିତ ହେଲେ ଯଥେଷ୍ଟ ନୁହଁ, ଆବେଗକୁ ରୂପ ଦିଆ ବଡ଼ ହେଉ ବା ଛୋଟ, କିଛି କରି ଦେଖାଆ ହୁଏତ ଭବିଷ୍ୟତ ପାଇଁ ନିଜର ବିରାଟ ସ୍ବପ୍ନଟିଏ ରହିଛି ସମୁଦ୍ର ସହିତ ମିଶିଯିବାର ସ୍ବପ୍ନ। ସେ ସ୍ବପ୍ନ ସାକାର କରିବା ପାଇଁ ବ୍ୟସ୍ତ ବିବ୍ରତ ନ ହୋଇ ପାଦେ ପାଦେ କରି ଆଗେଇ ଚାଲ।

ବେଳେବେଳେ ସବୁ ରକମର ଚେଷ୍ଟା ସତ୍ତ୍ୱେ ହୁଏତ ସ୍ବପ୍ନ ସଫଳ ହୁଏ ନାହିଁ ମନେହୁଏ, ରାସ୍ତା ଶେଷ ଆଗେଇବାକୁ ଗଲେ ପଡ଼ିଯିବା ବ୍ୟତୀତ ଅନ୍ୟ ଗତି ରହେ ନାହିଁ ଏକଥା ଶୁଣିଲେ ନଦୀ ପୁଣି କହିବ- ଜୀବନରେ ବେଳେ ବେଳେ ନେଇଥିବା ନିଷ୍ପତ୍ତିଟି ଭୁଲ ହୋଇଯାଇପାରେ ନିର୍ଣ୍ଣିତ ରାସ୍ତାରୁ ବିଚ୍ୟୁତି ଘଟିଯାଇପାରେ। ସେପରି ପରିସ୍ଥିତି ଆସିଲେ ଅବସାଦରେ ନିଜକୁ ବୁଡ଼ାଇ ଦିଅ ନାହିଁ। ହାର ମାନି ଯାଅ ନାହିଁ। ପୁଣି ଆଉ ଥରେ ଚେଷ୍ଟା କର ତଥାପି ବି ଯଦି ଖସି ପଡ଼ିବାକୁ ହୁଏ, ତାହେଲେ ଗର୍ଜନରତ ଜଳପ୍ରପାତ ଭଳି ରାଜକୀୟ ଭାବରେ ତଳକୁ ଓହ୍ଲେଇ ଆସି ପୁଣି ଆଗେଇ ଚାଲ ପୃଥିବୀବାସୀ ଆସି ମୁଗ୍ଧ, ବିସ୍ମିତ ହୁଅନ୍ତୁ ପଡ଼ିବାରେ ଯେ କିଭଳି ଶୌର୍ଯ୍ୟ, ମହନୀୟତା ଏବଂ ଅଭାବନୀୟ ସୌନ୍ଦର୍ଜ୍ୟ ଥାଇପାରେ, ତା ଦେଖନ୍ତୁ।

ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ସ୍ନାତକମାନଙ୍କୁ ମୁଁ ଶେଷରେ କହିଥିଲି ଯେ ଶିକ୍ଷାନୁଷ୍ଠାନର ସୁରକ୍ଷିତ ପୃଥିବୀ ବାହାରେ ପାଦ ଦେବା ପରେ ହୁଏତ ଦିନେ ସେମାନେ ନୂତନ ଜୀବନରେ ଅଭ୍ୟସ୍ତ ହୋଇଯିବେ କିନ୍ତୁ ଭୟ, ଆଶଙ୍କା ଏବଂ ଦ୍ୱନ୍ଦ୍ୱ ମଝିରେ ମଝିରେ ଠିକ୍ ଉଙ୍କି ମାରିବ ସବୁଦିନ ପାଇଁ ହଜିଯିବ ନାହିଁ କର୍ମଜୀବନରେ ହେଉ କିମ୍ବା ବ୍ୟକ୍ତିଗତ ଜୀବନରେ, ଭବିଷ୍ୟତ ନେଇ ଅନେକ ପ୍ରଶ୍ନ ବେଳେବେଳେ ମନ ଭିତରକୁ ପଶିଆସିବ।

ସେତିକିବେଳେ ସେମାନଙ୍କୁ ମୁହୂର୍ତ୍ତକ ପାଇଁ ପଛକୁ ବୁଲି ଚାହିଁବାକୁ ହେବ ଜୀବନର ଏତେ ବର୍ଷ କଟେଇ ଆସିବା ସତରେ କଣ ସହଜ ଥିଲା ? କେବେ କଣ କୌଣସି ବ୍ୟାଘାତ ଆସି ନ ଥିଲା ? କିନ୍ତୁ ସେମାନେ ତ ତାର ସାମ୍ନା କରିପାରିଛନ୍ତି ଉଠାପଡ଼ା ଅସମତଳ ରାସ୍ତାରେ ଚାଲି ଚାଲି ସେମାନେ ଏତେ ବାଟ ଆସିପାରିଛନ୍ତି ତାହେଲେ କାହିଁକି ସେମାନେ ଆଗାମୀ ଭବିଷ୍ୟତକୁ ମଧ୍ୟ ଅତିକ୍ରାନ୍ତ କରିପାରିବେ ନାହିଁ ?

ନଦୀର ଧର୍ମ ଆଗକୁ ବହିଯିବା ପାଦଟିଏ ପୁଣି ଆଉ ପାଦଟିଏ।

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।